Unknown

 

 

 

 

 

 

 

 

 

 

ପ୍ୟାରୀମୋହନ

ଉଦୟନାଥ ଷଡ଼ଙ୍ଗୀ

 

–ସାହସ ତ କମ୍ ନୁହେ–

 

“ସହରଯାକରେ ଗୋଟିଏ ସ୍କୁଲ ଅଛି ବୋଲି ସିନା, ତାଙ୍କର ଏତେ ସାହସ ! ଆଜି ମୋତେ ତଡ଼ିଦେଲେ, କାଲି ଆଉ କାହାକୁ ବାହାର କରିଦେବେ । ଯେ ତାଙ୍କ କଥା ନ ମାନିବ, ଯେ ତାଙ୍କ ପାଖରେ କିଙ୍କର ହୋଇ ନ ଚଳିବ, ତାର ତ ଏଇ ଦଶା ହେବ । ତା ଜୀବନଟା ମାଟି ହେବ ସିନା ! ଏହାର ନିଶ୍ଚୟ ପ୍ରତିକାର ହେବା ଦରକାର ।

 

ପିଲାଟି ଉତ୍ତେଜନାର ସହିତ ଏହା କହୁ କହୁ ଦୁଇଖୋଜ ବୁଲି ଆସିଲେ ।

 

ଆଉ ସାଙ୍ଗ ପିଲାଦୁଇଟି ସେଠାରେ ବସିଥିଲେ । ସେ ଏ କଥା ଶୁଣିଲେ, ଏହା ଠିକ୍‍ କଥା ବୋଲି ଜାଣିଲେ । କିନ୍ତୁ ତାଙ୍କ ମନରେ ସନ୍ଦେହ, “ପ୍ରତିକାର କଣ ହେବ ? କିପରି ବା ହେବ-?”

 

ଆଗ ପିଲାଟି ସାଙ୍ଗ ଦୁହିଁଙ୍କର ମନକଥା ଜାଣିପାରିଲେ । ସାଙ୍ଗେ ସାଙ୍ଗେ କହି ଉଠିଲେ, “ସହରରେ ଆଉ ଗୋଟିଏ ସ୍କୁଲ ବସାଇବାକୁ ହେବ । ତା ହେଲେ ସରକାରଙ୍କ ଆଣ୍ଟ ଭାଙ୍ଗିବ । ଯେ ତାଙ୍କ ସ୍କୁଲରେ ପଢ଼ିବାର ସୁବିଧା ନ ପାଇବ, ସେ ଏ ସ୍କୁଲରେ ପଢ଼ିବ ।”

 

“ତା ତ ସତ; କିନ୍ତୁ ଆଉ ଗୋଟିଏ ସ୍କୁଲ ହେବ କିପରି ? କିଏ କରିବ ? ସ୍କୁଲଟିଏ ବସାଇବା କଅଣ ସହଜ କଥା”–ଜଣେ ବନ୍ଧୁ ମୁହଁ ଖୋଲି ପଚାରିଲେ ।

 

ପିଲାଟି ଉତ୍ତର ଦେଲେ, “ରଥେ, ତୁମେ ପୁଣି ଏପରି କଥା କହୁଛ ? ମନ ଥିଲେ କାମ ପଛାଇବ ? କଦାପି ନୁହେ । ଭଲ କାମରେ ଠାକୁରେ ନିଶ୍ଚୟ ସାହାପକ୍ଷ ହେବେ । ଆଉ ଗୋଟାଏ ସ୍କୁଲ ଯେ କୌଣସି ପ୍ରକାରେ କରିବାକୁ ହିଁ ହେବ ।

 

ଏହା ଶୁଣି ସାଙ୍ଗ ଦୁହେଁ ମନେମନେ ବୋଧହୁଏ ଭାବିଥିବେ–ପିଲାର ତ ସାହସ କମ୍ ନୁହେ !

 

ସତକୁ ସତ ସେ ପିଲାଟିର ସେ ଦିନର କଥା ହିଁ ରହିଥିଲା । ତାରି ଫଳରେ ଆଜି କଟକ ସହରରେ ଠିଆ ହୋଇଛି “ପ୍ୟାରୀମୋହନ ଏକାଡେମୀ” ହଜାର ହଜାର ପିଲା ସେଥିରେ ପାଠ ପଢ଼ି ମଣିଷ ହେଉଛନ୍ତି, ବର୍ଷକୁ ବର୍ଷ ଅସଂଖ୍ୟ ପିଲା ପାଶ୍ କରି ଯାଉଛନ୍ତି। ସେହି ଗୋଟିଏ ପିଲା ସେ ଦିନ ଯେଉଁ ଗଛର ମଞ୍ଜି ପୋତିଦେଇଥିଲେ, ଆଜି ହଜାର ହଜାର ପିଲା, ତାର କୋଳି ଖାଉଛନ୍ତି ।

 

ସେହି ପିଲାଟିର ନାମ ହେଉଛି ପ୍ୟାରୀମୋହନ ଆଚାର୍ଯ୍ୟ । ସେ ସ୍କୁଲଟିକୁ କରିଥିଲେ ବୋଲି ସ୍କୁଲର ନାମ ‘ପ୍ୟାରୀମୋହନ ଏକାଡେମୀ’ ।

 

ସେ କାହିଁକି ସେ ଦିନ ଏପରି କହିଥିଲେ ଶୁଣିବ ?

 

ଏହା ପ୍ରାୟ ଶହେ ବର୍ଷ ତଳର କଥା ।

 

ପ୍ୟାରୀମୋହନଙ୍କ ଅମଳରେ କଟକରେ ଗୋଟିଏ ମାତ୍ର ସରକାରୀ ସ୍କୁଲ ଥିଲା । ଯେ ପଢ଼ିବାକୁ ଇଛା କରୁଥିଲା, ସେ ସେହି ସ୍କୁଲ ବ୍ୟତୀତ ଆଉ କେଉଁଠାକୁ ଯିବାର ଉପାୟ ନ ଥିଲା । ଆଉ ସ୍କୁଲ ତ ନ ଥିଲା; ଯିବ ବା କେଉଁଠିକି ? ସ୍କୁଲ ସେହି, କଲେଜ ବି ସେହି । ତାର ନାମ ଥିଲା କଟକ ଜିଲ୍ଲା ସ୍କୁଲ ।

 

ସେତେବେଳେ ପ୍ୟାରୀମୋହନଙ୍କୁ ମୋଟେ ଊଣେଇଶି ବର୍ଷ । ଏଣ୍ଟ୍ରାନ୍ସ ପାଶ୍ କରି ସେ ଏଫ୍.ଏ ପଢ଼ୁଥାଆନ୍ତି । କେତକ ସାଙ୍ଗପିଲା ମିଶି ଖଣ୍ଡିଏ ଖବର କାଗଜ ବାହାର କଲେ । ତାର ସମ୍ପାଦକ ହେଲେ ପ୍ୟାରୀମୋହନ । କାଗଜର ନାମ “ଉତ୍କଳପୁତ୍ର” ।

 

ସେ ସମୟରେ ଇଂରେଜମାନେ ତ ଏ ଦେଶରେ ରାଜା । ସେମାନେ ସର୍ବେସର୍ବା । ଯଦି କେହି ସେମାନଙ୍କ ବିରୁଦ୍ଧରେ ପଦେ କିଛି କହୁଥିଲା, ତେବେ ଇଂରେଜ ହାକିମମାନେ ଅଗ୍ନିଶର୍ମ। ହୋଇ ଯାଉଥିଲେ । ଲୋକେ ମଧ୍ୟ ତାଙ୍କୁ ଡରି ରହିଥାନ୍ତି ।

 

କିନ୍ତୁ ପ୍ୟାରୀମୋହନ ଡରିବା ଲୋକ ନୁହନ୍ତି । ସେ ଯେଉଁଠି କାମରେ ଟିକିଏ ଖଇଚା ଦେଖନ୍ତି, ସେଠି ସମାଲୋଚନା କରନ୍ତି; ତାଙ୍କ ଖବର କାଗଜରେ ଲେଖନ୍ତି ।

 

କଟକ ସହରରେ ରାସ୍ତା ଅତି କଦର୍ଯ୍ୟ ହୋଇଥାଏ । କେହି ତାର ଯତ୍ନ ନେଉ ନ ଥାନ୍ତି-। ପ୍ୟାରୀମୋହନ ସେଥିପାଇଁ ‘ଉତ୍କଳପୁତ୍ର’ରେ ଲେଖିଲେ, ” ଯୋତାର ନିବେଦନ ।” ଯୋତା ଗୁହାରି କରି କହୁଛି,–“ଏ ରାସ୍ତା ଯେପରି ହୋଇଛି, ସେଥିରେ ମୁଁ ଚାଲିବି କିପରି ? ହାକିମ ତ ନାକରେ ସୋରିଷତେଲ ପକାଇ ଶୋଇଲେ, ମୋ କଥା ବୁଝିବା କିଏ ?”
 

ଏଇ କଥାରେ ସେତେବେଳର ସାହେବ ଜିଲ୍ଲା ମାଜିଷ୍ଟ୍ରେଟ ରାଗି ଗଲେ । “କଅଣ ? ଆମେ ଗୋରାହାକିମ, ଛାର କଳାଲୋକର ପିଲାଟିଏ ଆମର ଦୋଷ ବାରିବ ! ଏଡ଼େ ଦିମାକ୍ ! ଆଛା ଠିକ୍ କରିଦେବା ।” ସାଙ୍ଗେ ସାଙ୍ଗେ ସେ ସ୍କୁଲ ହେଡ଼ମାଷ୍ଟରଙ୍କ ପାଖକୁ ଲେଖିଲେ; “ପ୍ୟାରୀମୋହନ ଆଉ ସ୍କୁଲରେ ପଢ଼ିପାରିବ ନାହିଁ, ତାକୁ ସ୍କୁଲରୁ ବାହାର କରି ଦିଅ ।”

 

ହେଡ଼ମାଷ୍ଟର ବିଚାରା ନାଚାର । ସେ ତ ସରକାରଙ୍କ ପାଖରେ ଚାକିରି କରିଛନ୍ତି । ସରକାର ଯାହା କହିବେ, ତାହା ମାନିବାକୁ ବାଧ୍ୟ ନ ହେଲେ ଚାକିରିଖଣ୍ଡିକ ଯିବ ।

 

ପ୍ୟାରୀମୋହନ ସ୍କୁଲର ଯୋଗ୍ୟ ପିଲା । ଭଲ ପଢ଼ାପଢ଼ି କରନ୍ତି, ସାଧାରଣ କାମରେ ମଧ୍ୟ ଖୁବ୍ ଧୁରନ୍ଧର । ସେଥିପାଇଁ ହେଡ଼ମାଷ୍ଟର ପ୍ୟାରୀମୋହନଙ୍କୁ ଶ୍ରଦ୍ଧା କରନ୍ତି, ନିଜ ପୁଅ ପରି ମନେ କରନ୍ତି । ପ୍ୟାରୀମୋହନଙ୍କୁ ସ୍କୁଲରୁ ତଡ଼ି ଦେବାକୁ ତାଙ୍କର ଇଛା ହେଲା ନାହିଁ । ତେଣୁ ସେ ପ୍ୟାରିମୋହନଙ୍କୁ ଡାକି ବହୁତ ବୁଝାଇ ସୁଝାଇ କହିଲେ, “ତୁମେ ଯାଅ, ସାହେବଙ୍କ ପାଖରେ ଟିକିଏ କ୍ଷମା ମାଗି ଆସ, ତା ହେଲେ ସ୍କୁଲରେ ପଢ଼ି ପାରିବ । ଯଦି ତା ନ କର, ତେବେ ସାହେବଙ୍କ ଆଦେଶରେ ମୁଁ ତୁମଙ୍କୁ ସ୍କୁଲରୁ ତଡ଼ିଦେବି । ତୁମେ ତ ଆଉ କେଉଁଠି ପଢ଼ା ପଢ଼ି କରିପାରିବ ନାହିଁ ।”

 

ପ୍ୟାରୀମୋହନ ଏହା ଶୁଣି ବସିବା ଜାଗାରୁ ଉଠିପଡ଼ିଲେ । କହିଲେ, “ମୁଁ ତ କିଛି ଦୋଷ କରି ନାହିଁ, କ୍ଷମା ମାଗିବି କାହିଁକି ? ନାଁ, ମୁଁ କ୍ଷମା ମାଗିବାକୁ ଯିବି ନାହିଁ । ମୋତେ ସ୍କୁଲରୁ ତଡ଼ି ଦେବେ, ଦିଅନ୍ତୁ । କିନ୍ତୁ ମୁଁ କେବେ ହେଲେ ଏପରି ଛୋଟ ହେବି ନାହିଁ; ସାହେବ ପାଖରେ କ୍ଷମା ମାଗିବି ନାହିଁ । ଏହା କହି ପ୍ୟାରୀମୋହନ ସେଠାରୁ ଚାଲି ଆସିଲେ ।

 

ହେଡ଼ମାଷ୍ଟର ଏହା ଶୁଣି କାବା । ସେ ମନେ ମନେ କହିଲେ, “ବାଃ, ପିଲାର ତ ସାହସ କମ୍ ନୁହେଁ !”

Image

 

–ଳସୀ ଦୁଇ ପତ୍ରରୁ ବସେ–

 

କଟକ ଜିଲାର ସାଲେପୁର ଥାନାରେ କୁଆଁପାଳ ବୋଲି ଗୋଟିଏ ବଡ଼ ଗାଁ ଅଛି । ତା ପାଖରେ ‘ପଶୁଲୁଣ୍ଡା’ ଗୋଟିଏ ଛୋଟିଆ ଗାଁ । ଅଳ୍ପ କେତେ ଘର ଲୋକ ବାସ କରନ୍ତି । ସେହି ଗାଁରେ ଭୁବନମୋହନ ଆଚାର୍ଯ୍ୟ ବୋଲି ଜଣେ ଲୋକ ଥିଲେ । ସେ ସାମାନ୍ୟ ପାଠ ପଢ଼ିଥିଲେ । ତାରି ଯୋରରେ କଟକରେ ରହି ସେ ମୂକ୍ତ୍ୟ।ରି କରୁଥିଲେ । ପ୍ୟାରୀମୋହନ ସେହି ଭୁବନମୋହନ ଆଚାର୍ଯ୍ୟଙ୍କ ପୁଅ । ସେ ୧୮୫୧ ମସିହାରେ ଜନ୍ମ ହୋଇଥିଲେ ।

ପିଲାଦିନେ ପ୍ୟାରୀମୋହନ ଗାଁ ଚାଟଶ।ଳୀ ରେ ପାଠ ପଢ଼ିଲେ । ସେ ଖୁବ୍ ବୁଦ୍ଧିଆ ଓ ଚାଲାଖ ଥିଲେ । ତେଣୁ ଗାଁ ଚାଟଶାଳୀରେ ଯାହା ସାଧାରଣତଃ ପଢ଼ାଯାଏ, ତା ଅପେକ୍ଷା ତାଙ୍କର ଢେର ବେଶି ପାଠ ହାସଲ ହୋଇଥିଲା ।

ପ୍ୟାରୀମୋହନଙ୍କ ହୃଦୟ ବଡ଼ କୋମଳ ଥିଲା । ସେ ଯଦି କାହାରି ଦୁଃଖ କଷ୍ଟ ଦେଖୁଥିଲେ, ତେବେ ସେହି ପିଲାଟି ଦିନୁ ବ୍ୟସ୍ତ ହୋଇ ଉଠୁଥିଲେ । ଗରିବ ଲୋକଟିଏ ହାତ ପତାଇ ଭିକ ମାଗୁଥିବାର ଦେଖିଲେ, ତାଙ୍କ ମନରେ ଖେଳେ, “ଭଗବାନ ଏହାକୁ ଗରିବ କଲେ କାହିଁକି ? ଭଗବାନଙ୍କର ଏ କି ପକ୍ଷପାତ ବିଚାର ! ଜଣେ ଧନୀ ହୋଇ ମଉଜ ମଜ୍‍ଲିସରେ ଚଳିବ, ଆଉ ଜଣେ ଖାଇବାକୁ ନ ପାଇ ଭିକ ମାଗିବ ?

ସବୁବେଳେ ଏହି କଥା ଭାବୁ ଭାବୁ ସେ ଭିନ୍ନ ପ୍ରକାର ପିଲା ହୋଇଗଲେ । ଖେଳବୁଲା କରିବା, ଫୂର୍ତ୍ତି କରିବା; ହସିବା ଆଦି ତାଙ୍କୁ ଭଲ ଲାଗିଲା ନାହିଁ । ସବୁବେଳେ ଏକୁଟିଆଟି ମନ ମାରିଦେଇ ବସିଥାଆନ୍ତି । ଦୁନିଆର ଏଇ ଖାପଛଡ଼ା କଥାସବୁ ଭାବୁଥାଆନ୍ତି ।

ଗାଁ ଚାଟଶାଳୀ ପାଠ ଶେଷ ହେଲା । ପ୍ୟାରୀମୋହନ କଟକ ପଢ଼ିବାକୁ ଆସିଲେ । ସେତେବେଳେ ତାଙ୍କୁ ବାର ବର୍ଷ । କଟକରେ କଟକ ଜିଲ୍ଲା ସ୍କୁଲ ବୋଲି ଗୋଟିଏ ମାତ୍ର ସ୍କୁଲ ଥାଏ-। ପ୍ୟାରୀମୋହନଙ୍କ ନାମ ସେହି ସ୍କୁଲରେ ଲେଖା ହେଲା ।

 

କଟକରେ ତାଙ୍କୁ ବହୁତ ସାଙ୍ଗ ମିଳିଲେ । ସାଧାରଣତଃ ଏ ବୟସରେ ପିଲାମାନେ ବେଶ୍ ମଉଜ ମଜଲିସ୍ କରନ୍ତି । ସାଙ୍ଗସୁଖ ପାଇ ଖେଳ।ଖେଳି ହସଖୁସିରେ ସମୟ କଟାନ୍ତି । କିନ୍ତୁ ପ୍ୟାରୀମୋହନ ତ ଏଥିରୁ ଅଲଗା । ଏକୁଟିଆ ବସିବା; ଦୁନିଆର ହାନି ଲାଭ ଚିନ୍ତା କରିବା ବ୍ୟତୀତ ସେ ଆଉ କିଛି ଜାଣନ୍ତି ନାହିଁ । ତେଣୁ ଶ୍ରେଣୀରେ ପିଲାମାନେ ସାହସ କରି ତାଙ୍କ ପାଖରେ କେହି ପଶି ପାରନ୍ତି ନାହିଁ । ପଛରେ ଦାନ୍ତ ନିକୁଟି ନାନା ଥଟ୍ଟା ଟାପରା କରନ୍ତି । ମାତ୍ର ପ୍ୟାରିମୋହନଙ୍କର ସେଥିପାଇଁ ଭ୍ରୂକ୍ଷେପ ନ ଥାଏ ।

 

୧୮୬୬ ମସିହାରେ ଓଡିଶାରେ ‘ନଅଙ୍କ’ ଦୁର୍ଭିକ୍ଷ ପଢ଼ିଥିଲା । ଏ ଦୁର୍ଭିକ୍ଷରେ ଖାଇବାକୁ ନ ପାଇ ହଜାର ହଜାର ଲୋକ ମରିଗଲେ । ଚାରିଆଡେ ମଡ଼ାକୁଢ଼ ଗଦା ହେଲା । ଘରଦ୍ୱାର ସମ୍ପତ୍ତିବାଡ଼ି ଛାଡ଼ି କିଏ ଯେ କୁଆଡ଼େ ପଳାଇଲେ । ତାର ପତ୍ତା ରହିଲା ନାହିଁ ।

 

ସେତେବେଳକୁ ପ୍ୟାରୀମୋହନଙ୍କୁ ପନ୍ଦର ବର୍ଷ ବୟସ । ସେ ଦେଖିଲେ ଖାଇବାକୁ ନ ପାଇଁ ଏତେ ଲୋକ ପୋକମାଛି ପରି ମରି ଯାଉଛନ୍ତି । ବାଟେଘାଟରେ ଯେଉଁମାନେ ଭିକ ମାଗି ବୁଲୁଛନ୍ତି, ସେମାନଙ୍କ ଅବସ୍ଥା ତ କହିଲେ ନ ସରେ । ଏହିସବୁ ଦୃଶ୍ୟ ଦେଖି ପ୍ୟାରୀମୋହନ ଧୌର୍ଯ୍ୟ ଧରି ରହିପାରିଲେ ନାହିଁ । ସେ ଘର ଘର ବୁଲି ଭିକ ମାଗିଲେ । ଯାହା ପାଇଲେ ତାହା ନେଇ ସେହି ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଲେ ।

 

ପନ୍ଦର ବର୍ଷର ପିଲା, ସାଙ୍ଗସାଥି କେହି ନାହାନ୍ତି । ଏକାକୀ ଛୋଟ ହାତ ଦୁଇଟିରେ ଯେତିକି କାମ କରାଯିବ, ସେ ସେତକ କରିବାକୁ ପଛାଇ ନ ଥିଲେ, ବରଂ ତା ଅପେକ୍ଷା ଅଧିକ କାମ କରୁଥିଲେ । ସେ ସମୟରେ ସେ ପାଠପଢ଼ା ଭୁଲିଗଲେ । ଘର ଘର ବୁଲି ଭିକ ମାଗିବା ହେଲା ତାଙ୍କ କାମ । ଯାହା ପାଆନ୍ତି, ସେ ସବୁତକ ଆଣି କାଙ୍ଗାଳମାନଙ୍କ ମଧ୍ୟରେ ବାଣ୍ଟନ୍ତି; ସେମାନଙ୍କ ହାନିଲାଭ ବୁଝନ୍ତି । ସବୁଠାରୁ ବଡ଼କଥା, ସେମାନଙ୍କୁ ବୋଧସୋଧ କରି ଦୁଇପଦ କଥା କହନ୍ତି । ସେହି ଗରିବ କାଙ୍ଗାଳମାନେ ପେଟେ ଖାଇବାକୁ ପାଇ ଯେପରି ଖୁସି ହୋଇ ନ ଥାନ୍ତି, ଏହାଙ୍କଠାରୁ ପଦେ ଆଶ୍ୱାସନା କଥା ଶୁଣି ସେପରି ଖୁସି ହୁଅନ୍ତି । ସେମାନେ ମନେମନେ ଭାବନ୍ତି, ‘‘ଏତେ ଛୋଟ ପିଲା, ଏହାର ପୁଣି ଏତେ ଦୟା ! ଭଗବାନ ପରମାୟୁ ଦେଇ ଥାଆନ୍ତୁ ।

 

ସହରର ଜାଣିବା ଶୁଣିବା ଲୋକେ ପିଲାଟିର ଏ କାମ ଦେଖି ତ ଅବାକ୍ । ‘‘ଏତେ ଛୋଟ ପିଲା; କିନ୍ତୁ ବୁଦ୍ଧି ତ ଛୋଟ ନୁହେଁ । କାମଟା ଛୋଟ ନୁହେଁ । ଏ ବଡ଼ ହେଲେ ନିଶ୍ଚୟ ଦେଶର ମୁହଁ ଉଜ୍ଜ୍ୱଳ କରିବ । ଏଇ ପିଲାଦିନୁ ଏହାର ମହତ୍ତ୍ୱ ଜଣାପଡ଼ିଲା ତୁଳସୀ ଦୁଇପତ୍ରରୁ ବସେ ।”

Image

 

–ସ୍କୁଲ ବସିଲା–

 

ଅଠର ବର୍ଷ ବୟସରେ ପ୍ୟାରୀମୋହନ ଏଣ୍ଟ୍ରାନ୍ସ ପାଶ୍ କଲେ । ତାପରେ ଏଫ୍.ଏ ପଢ଼ିଲେ । ମୋଟେ ବର୍ଷେ ପଢ଼ିଛନ୍ତି, ମାଜିଷ୍ଟ୍ରେଟଙ୍କ ହୁକୁମୁରେ ସ୍କୁଲରୁ ତଡ଼ା ଖାଇଲେ । ଯେଉଁ ପିଲାମାନେ ପଛରେ ଦାନ୍ତ ନିକୁଟି ଦେଉଥିଲେ, ସେମାନେ କହିଲେ; ‘‘ଭଲ ହୋଇଛି; ଉପଯୁକ୍ତ ଫଳ ପାଇଛି ।” ମୁରବିମାନେ କହିଲେ ପିଲାଟି ମାଟି ହୋଇଗଲା ।

 

କିନ୍ତୁ ପ୍ୟାରୀମୋହନଙ୍କର ଏ ସବୁ କଥା ନିଘା ନ ଥାଏ । ସମସ୍ତଙ୍କ କଥାକୁ କାନ ଦେଲେ, ଅନ୍ୟ ଲୋକର ନିନ୍ଦା ପ୍ରଶଂସାକୁ ଡରିଲେ, ଲୋକ ଦୁନିଆରେ କିଛି କରିପାରିବ ନାହିଁ । ନିଜେ ଯାହାଭଲ ବୋଲି ଠିକ୍ କରିବ ସେହି କାମରେ ଲାଗି ପଡ଼ିବ । ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଡରିବ ନାହିଁ କି ପଛାଇବ ନାହିଁ ।

 

ପ୍ୟାରୀମୋହନଙ୍କର ଅତି ପ୍ରିୟ ସାଙ୍ଗ କେବଳ ଦୁଇଜଣ ଥାଆନ୍ତି । ଜଣେ ଭକ୍ତକବି ମଧୁସୂଦନ ରାଓ, ଆଉ ଜଣେ ପଣ୍ଡିତ ଗୋବିନ୍ଦ ରଥ । ଶହ ଶହ ପିଲାକଙ୍କ ମଧ୍ୟରୁ ପ୍ୟାରୀମୋହନ ଏହି ଦୁଇଟି ସାଙ୍ଗକୁ ବାଛି ନେଇଥିଲେ ।

 

ମାଜିଷ୍ଟ୍ରେଟଙ୍କ ହୁକୁମରେ ତ ସ୍କୁଲରୁ ଆସିଲେ । ସମସ୍ତେ ତାଙ୍କୁ ପଚାରିଲେ, ‘‘ଏବେ ପୁଣି କଣ କରିବ ? “ସେ କିନ୍ତୁ ତାଙ୍କ ସାଙ୍ଗ ସାଙ୍ଗ ଦୁଇ ଜଣଙ୍କୁ ଡାକି ପରାମର୍ଶ କଲେ, ‘‘ଏବେ ପୁଣି ପିଲାଏ କଅଣ କରିବେ ? ଯେଉଁ ପିଲାକୁ ଇଛା ହେବ, ସାହେବ ସେ ପିଲାକୁ ସ୍କୁଲରୁ ତଡ଼ିଦେବ । ସେ ପୁଣି ପଢ଼ିବ କେଉଁଠି ? ସହରରେ ଆଉ ଗୋଟିଏ ସ୍କୁଲ ନ କଲେ ତ ନ ଚଳେ ।’’

 

ଏହି କଥା ଶୁଣି ସେତେବେଳେ କେହି କେହି ମୁହଁ ମୋଡ଼ିଲେ, କେହି କେହି ମୁରୁକି ହସା ଦେଲେ । କେହି କେହି ବି କହିଲେ, “ପାଗଳଟାଏ , ବାମନ ହୋଇ ଚାନ୍ଦକୁ ହାତ ବଢ଼ାଉଛି ।”

 

କିନ୍ତୁ ପ୍ୟାରୀମୋହନ କାମରେ ଲାଗିଗଲେ । ଗୋଟିଏ ଛୋଟ ପ୍ରାଇମେରୀ ସ୍କୁଲ ଥିଲା-। ପଣ୍ଡିତ ଗୋବିନ୍ଦ ରଥ ଓ ପ୍ୟ।ରିମୋହନ ନୀଜେ ମାଷ୍ଟର ହୋଇ ସେ ସ୍କୁଲରେ ପିଲାଙ୍କୁ ପଢ଼ାଇଲେ । ଆଗେ ଛୋଟ ଛୋଟ ପିଲା ସ୍କୁଲକୁ ଆସିବାକୁ ଡରୁଥିଲେ । ସ୍କୁଲ ବେଳ ହେଲେ, କେଉଁ କୋଣ ଭିତରେ ଯାଇ ଲୁଚୁଥିଲେ । କିନ୍ତୁ ଗୋବିନ୍ଦ ରଥ ଓ ପ୍ୟ।ରିମୋହନ ପିଲାମାନଙ୍କୁ କାଖେଇ କୁଣ୍ଢେଇ ଏପରି ବଶ କରିନେଲେ ଯେ; ପିଲାମାନେ ଖୁସିରେ ସ୍କୁଲକୁ ଧାଇଁଲେ । ଭଲ ପଢ଼ାପଢ଼ି ହେବାରୁ ମୁରବିମାନେ ବି ଆନନ୍ଦରେ ତାଙ୍କ ପିଲାଙ୍କୁ ସ୍କୁଲକୁ ପଠାଇଲେ । ଚାହୁଁ ଚାହୁଁ ସ୍କୁଲରେ ବହୁତ ପିଲା ହେଲେ । ଆଉ ଜଣେ ଦୁଇଜଣ ଶିକ୍ଷକ ବି ରହିଲେ । ସ୍କୁଲ କ୍ରମେ ଉନ୍ନତି କଲା । ଚାରି ବର୍ଷ ବାଦ୍ ଏହା ମାଇନର ସ୍କୁଲ ହୋଇଗଲା ।

 

ପିଲା ପଢ଼ିବା ପାଇଁ ବେଶି ଘର ଦରକାର ପଡ଼ିଲା; ବେଶୀ ଶିକ୍ଷକ ରହିଲେ । ପିଲାମାନଙ୍କଠାରୁ ଯେଉଁ ଦରମା ଆଦାୟ ହୁଏ, ସେଥିରୁ ଖର୍ଚ୍ଚ କୁଳେଇଲା ନାହିଁ । ପ୍ୟାରୀମୋହନ ଦେଖିଲେ, ବାହାରୁ ଟଙ୍କା ନ ଆସିଲେ ନ ଚଳେ । ସେ ସ୍କୁଲରେ ଆଉ ପଢ଼ାଇଲେ ନାହିଁ । ତାଙ୍କ ଲକ୍ଷ୍ୟ ରହିଲା ; ଟଙ୍କା କିପରି ଆସିବ ।

 

ଚାକିରି କରିବା ପ୍ୟାରୀମୋହନଙ୍କର ସ୍ୱଭାବ ନୁହେ, ତଥାପି ସ୍କୁଲ କରିବାକୁ ହେବ । ସ୍କୁଲ ପାଇଁ ଟଙ୍କା ଦରକାର । ସେଥିପାଇଁ ସେ ଚାକିରି କଲେ । କମିଶନର ଅଫିସରେ କିରାନି ହେଲେ–ମାସକୁ ଦରମା ପଚିଶ ଟଙ୍କା । ପ୍ୟାରୀମୋହନ ମାସଶେଷରେ ଟଙ୍କାତକ ଆଣି ସ୍କୁଲରେ ଦେଇଦିଅନ୍ତି । ସେଥିରୁ ପଇସାଟିଏ ସୁଦ୍ଧା ନିଜ ପାଇଁ ଖର୍ଚ୍ଚ କରନ୍ତି ନାହିଁ ।

 

ଚାରି ବର୍ଷ ପରେ ସେହି ମଧ୍ୟଇଂରାଜୀ ସ୍କୁଲଟି ହାଇସ୍କୁଲରେ ପରିଣତ ହେଲା । ପ୍ୟାରୀମୋହନଙ୍କ ସ୍ୱପ୍ନ ସଫଳ ହେଲା । ଯାହା ଏ ପର୍ଯ୍ୟନ୍ତ ଅସମ୍ଭବ ଥିଲ।, ତାହା ସମ୍ଭବ ହେଲା । ଆଜିଯାଏ ଯେତୋଟି ସ୍କୁଲ ଥିଲା, ସେ ସବୁ ସରକାରୀ ସ୍କୁଲ । ଜଣେ ସାଧାରଣ ଗରିବ ଲୋକ–ମୋଟେ ସତେଇଶ ବର୍ଷ ବୟସର ଯୁବକ, ପଚିଶ ଟଙ୍କାର ମାତ୍ର ଚାକରି–ତାଙ୍କ ଉଦ୍ୟମରେ ବେସରକାରୀ ସ୍କୁଲଟିଏ ବସିପାରିଲା । କେବଳ ମନ ଦୃଢ଼ ଥିବାରୁ ସିନା ଏପରି ଅସାଧ୍ୟ ସାଧନ କରାଗଲା । ହଜାର ହଜାର ଟଙ୍କା ରୋଜଗାର କରୁଥିବା ଲୋକ ପକ୍ଷରେ ମଧ୍ୟ ଏହା ସହଜ ନୁହେଁ, ସମ୍ଭବ ବି ନୁହେଁ ।

 

କ୍ରମେ ସ୍କୁଲ ନାମ ଚାରିଆଡ଼େ ବ୍ୟାପିଗଲା । ଦୂରରୁ, ମଫସଲ ଗାଁମାନଙ୍କରୁ ବହୁତ ପିଲା ଆସି ସ୍କୁଲରେ ନାମ ଲେଖାଇଲେ । ଭଲ କାମ କଲେ ଭଗବାନ ସହାୟ ହୁଅନ୍ତି । ଉପଯୁକ୍ତ ଶିକ୍ଷକମାନେ ଆସି ଜୁଟିଲେ । ଶହ ଶହ ପିଲା ସ୍କୁଲରେ ପଢ଼ି ଯୋଗ୍ୟ ହେଲେ । ପ୍ରତିବର୍ଷ ବହୁତ ପିଲା ପ୍ରବେଶିକା ପରୀକ୍ଷାରେ ପାଶ୍ କଲେ । ପ୍ୟାରୀମୋହନ ସ୍କୁଲଟି ଗଢ଼ିଲେ । ତେଣୁ ସ୍କୁଲର ନାମ ଦିଆଗଲା ‘‘ପ୍ୟାରୀମୋହନ ଏକାଡେମୀ” ।

 

ସରକାରୀ ସ୍କୁଲ ଯେଉଁମାନେ ଚଳାଉଥିଲେ, ତାଙ୍କ ଆଣ୍ଟ ଭାଙ୍ଗିଲା, ଆଖି ଫିଟିଲା । କୌଣସି ପିଲା ଉପରେ ଆଉ ଅନ୍ୟାୟ ଜୁଲମ କରିବାକୁ ସେମାନେ ସାହସ କଲେ ନାହିଁ ।

 

କଟକ ସହର ମଝିରେ ସେ ସ୍କୁଲ ଆଜିକାଲି ମୁଣ୍ଡ ଟେକି ଠିଆ ହୋଇଛି । ତା ପରେ ଅବଶ୍ୟ ଆଉ କେତୋଟି ହାଇସ୍କୁଲ ସହରରେ ବସିଛି । ସେ ସବୁ ସ୍କୁଲ ପ୍ୟାରୀମୋହନ ଏକାଡେ଼ମୀ ଯୋଗେ ହିଁ ସମ୍ଭବ ହୋଇଛି । ଏ ପର୍ଯ୍ୟନ୍ତ ବି ଏକାଡେ଼ମୀ ଟେକ ସେହିପରି ରହିଛି । ପ୍ୟାରୀମୋହନଙ୍କ ପବିତ୍ର ହାତରେ ତାହା ତିଆରି–ତେଣୁ ଯୁଗେ ଯୁଗେ ତାହା ରହିଥିବ ।

Image

 

–ସାହିତ୍ୟ ସେବା–

 

ସ୍କୁଲ ନ ଥିଲା, ପିଲାଙ୍କ ସୁବିଧା ପାଇଁ ପ୍ୟାରୀମୋହନ ସ୍କୁଲ ବସାଇଲେ । କିନ୍ତୁ ପିଲାଏ ପଢ଼ିବେ କଅଣ ? ସେତେବେଳକୁ ଓଡ଼ିଆରେ ଭଲ ବହି କିଛି ଛପା ହୋଇ ନଥିଲା । ତେଣୁ ପିଲାଏ ପଢ଼ିବାକୁ ବହି ପାଉନଥିଲେ ସବୁ ବିଷୟ ଇଂରାଜୀରେ ପଢ଼ୁଥିଲେ, ନ ହେଲେ ବଙ୍ଗଳା ବହି ଖୋଜୁଥିଲେ ।

 

ଓଡ଼ିଆ ପିଲା, ଓଡ଼ିଆରେ ନ ପଢ଼ି ଅନ୍ୟ ଭାଷାରେ ବହି ପଢ଼ିବେ । ସେଥିରୁ ସବୁ କଥା ବୁଝି ପାରିବେ ନାହିଁ । ମିଛରେ ବହୁତ ସମୟ ବି ନଷ୍ଟ ହେବ । ତେଣୁ ଓଡ଼ିଆ ଭାଷାରେ କିପରି ବହି ଲେଖା ହେବ, ସେ ସେହି ଉଦ୍ୟମରେ ଲାଗିପଡ଼ିଲେ ।

 

ତାଙ୍କର ତ ପ୍ରିୟ ସାଙ୍ଗ ଦୁଇ ଜଣ–ଭକ୍ତକବି ମଧୁସୂଦନ ରାଓ ଓ ପଣ୍ଡିତ ଗୋବିନ୍ଦ ରଥ । ପ୍ୟାରୀମୋହନ ସେହିମାନଙ୍କ ସହିତ ଲାଗି ଗୁଡ଼ିଏ ପଢ଼ାବହି ପ୍ରକାଶ କଲେ । ପିଲାମାନଙ୍କ ପଢ଼ାବହି ଅଭାବ ଦୂର ହେଲା । ପ୍ୟାରିମୋହନନଙ୍କଠାରୁ ଉତ୍ସାହ ପାଇ ମଧୁସୂଦନ ତଳ ଶିଶୁଙ୍କଠାରୁ ଆରମ୍ଭ କରି ହାଇସ୍କୁଲର କ୍ଲାସରେ ପଢ଼ାହେବା ପର୍ଯ୍ୟନ୍ତ ସବୁ ବହି ଲେଖିଥିଲେ । ପଣ୍ଡିତ ଗୋବିନ୍ଦ ରଥ ମଧ୍ୟ ବହୁତ ଗୁଡ଼ିଏ ଛୋଟ ଛୋଟ ବହି ନିଜେ ଲେଖିଲେ । କେତେଗୁଡ଼ିଏ ପୁରୁଣା ବହି ସଂଗ୍ରହ କରି ଛପାଇଲେ । ଓଡ଼ିଆ ଭାଷାରେ ବହି ନାହିଁ–ଏ ନିନ୍ଦ ଦୂର ହେଲା ।

 

ପ୍ୟାରୀମୋହନ ଦେଖିଲେ, ଓଡ଼ିଶାର ଇତିହାସ ଓଡ଼ିଆରେ ଲେଖା ହେବ। ଦରକାର । ସେଥିପାଇଁ ସେ ନିଜେ ଅଣ୍ଟାଭିଡି ଲାଗିପଡ଼ିଲେ । କେବଳ ବହି ଦେଖି ଇତିହାସ ଲେଖିଲେ ତ ଚଳିବ ନାହିଁ, ତେଣୁ ସେ ଓଡ଼ିଶାର ସବୁ ଅଞ୍ଚଳ ବୁଲି ନାନା ତଥ୍ୟ ସଂଗ୍ରହ କଲେ । 'ଓଡ଼ିଶାର ଇତିହାସ' ବୋଲି ଖଣ୍ଡିଏ ଅତି ସୁନ୍ଦର ବହି ସେ ଲେଖିଛନ୍ତି । ଆଜିକାଲି ବହୁତ ଇତିହାସ ଛ।ପା ହେଲାଣି, କିନ୍ତୁ ସେ ଇତିହାସ ଆଦର ଆଜିଯାକେ କମି ନାହିଁ । ସେହି ଇତିହାସ ଲେଖିଥିବାରୁ ସରକାର ପ୍ୟାରୀମୋହନଙ୍କୁ ତିନିଶହ ଟଙ୍କା ପୁରସ୍କାର ଦେଲେ ।

 

ପ୍ୟାରୀମୋହନଙ୍କ ପୂର୍ବପୁରୁଷ ବଙ୍ଗଳାରୁ ଆସି ଓଡ଼ିଶାରେ ରହିଥିଲେ । ତଥାପି ପ୍ୟାରୀମୋହନ ଓଡିଶାକୁ ନିଜ ଜନ୍ମଭୂମି ବୋଲି ଭାବୁଥିଲେ । ଓଡ଼ିଆ ଭାଷାକୁ ମାତୃଭାଷା ଜାଣି ପୂଜା କରୁଥିଲେ ।

 

ସେ ସମୟରେ ଦଳେ ବଙ୍ଗାଳୀ ଓଡିଶାକୁ ଚାକିରି କରିବାକୁ ଆସିଥିଲେ । ସେମାନେ ଭାବିଲେ, ‘‘ଓଡ଼ିଆ ଭାଷାରେ ତ ବେଶୀ କିଛି ବହି ନାହିଁ । ଆମେ ଚେଷ୍ଟା କଲେ ଓଡ଼ିଆ ଭାଷା ଲୁଚିଯିବ, ଆମ ବଙ୍ଗଳା ଭାଷା ଏ ଦେଶରେ ଭାଷା ହେବ ।” ସେଥିପାଇଁ ସେମାନେ ନାନା କୌଶଳ କଲେ ।

 

କିନ୍ତୁ ପ୍ୟାରୀମୋହନ କହିଲେ, “ନା, ତା ହେବ ନାହିଁ । ଓଡ଼ିଶାରେ ଓଡ଼ିଆ ଭାଷା ରହିବ-।’‘

 

ପ୍ୟାରୀମୋହନଙ୍କ ସାଙ୍ଗକୁ ଆଉ କେତେଜଣ ଯୋଗ୍ୟଲୋକ ଯୁଟିଗଲେ-ବ୍ୟାସକବି ଫକୀରମୋହନ ସେନାପତି, କର୍ମଯୋଗୀ ଗୌରିଶଙ୍କର ରାୟ । ଏହିମାନଙ୍କ ଉଦ୍ୟମରେ ବଙ୍ଗଦେଶରୁ ଆସୁଥିବା ବାବୁମାନଙ୍କର ସବୁ କୌଶଳ ପଣ୍ଡ ହେଲା । ଓଡ଼ିଶାରେ ଓଡ଼ିଆ ଭାଷା ରହିଲା । ସେତେବେଳେ ପ୍ୟାରୀମୋହନ ଓ ତାଙ୍କ ବନ୍ଧୁମାନେ ଅଣ୍ଟାଭିଡ଼ି ବାହାରି ନ ଥିଲେ, ଆଜି ଆମେ ଓଡ଼ିଆରେ ଖଣ୍ଡିଏ ବହି ପାଉ ନ ଥାନ୍ତେ । ସ୍କୁଲ କଲେଜରେ ବଙ୍ଗଳା ପଢ଼ା ହେଉଥାଆନ୍ତା । ଓଡ଼ିଆ ଭାଷା ଏକାବେଳକେ ଲୋପ ପାଇଯାଇ ଥାଆନ୍ତା ।

Image

 

–ଅସହାୟର ସହାୟ ପ୍ୟାରୀମୋହନ–

 

ପ୍ୟାରୀମୋହନଙ୍କର ମୁହଁ ସବୁବେଳେ ଗମ୍ଭୀର । ଖୁବ୍ ଅଳ୍ପ ଲୋକଙ୍କ ସହିତ ସେ ମିଶନ୍ତି, କମ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତି । ତାଙ୍କ ମୁହଁରେ ହସ ପ୍ରାୟ କେହି ଦେଖି ନାହାନ୍ତି । ତେଣୁ ସମସ୍ତେ ଭାବନ୍ତି, ପ୍ୟାରୀମୋହନ ବଡ଼ କଠୋର । ତାଙ୍କ ହୃଦୟରେ ସ୍ନେହ ମମତା ନାହିଁ ।

 

କିନ୍ତୁ ପ୍ରକୃତରେ ପ୍ୟାରୀମୋହନ ଠିକ୍ ଏହାର ଓଲଟା । ପରର ଦୁଃଖ ଦେଖିଲେ ସେ ବଡ଼ ଅଥୟ ହୋଇ ଉଠୁଥିଲେ । ନଅଙ୍କ ସମୟରେ ଭିକାରୀଙ୍କୁ କିପରି ଖାଇବାକୁ ଦେଉଥିଲେ, ତାହା ତ ଆଗରୁ ଜାଣିଛ । ସ୍କୁଲରେ ପଢ଼ିଲାବେଳେ ପିଲାଙ୍କୁ ଏପରି ସ୍ନେହ ଆଦର କରୁଥିଲେ ଯେ, ପିଲାଏ ଘରେ ବାପା ମାଆଙ୍କ ପାଖରେ ନ ରହି ସ୍କୁଲ ଦୌଡ଼ି ଆସୁଥିଲେ ।

 

ସେ ସମୟରେ ଆଜିକାଲି ପରି ରେଳଗାଡ଼ି ଚାଲୁ ନ ଥିଲା । ଭାରତର ସବୁଆଡ଼େ ହଜାର ହଜାର ଲୋକ ଚାଲିଚାଲି ପୁରୀକୁ ଆସୁଥିଲେ;ଜଗନ୍ନାଥଙ୍କ ଦର୍ଶନ କରି ଚାଲି ଚାଲି ଗାଆଁକୁ ଫେରୁଥିଲେ । ପ୍ରତିବର୍ଷ ରଥ ସମୟରେ ବହୁତ ଭିଡ଼ ହୁଏ । ହଇଜା ମଧ୍ୟ ଭୟଙ୍କର ଭାବରେ ଲାଗେ । ଯାତ୍ରୀମାନେ ହଇଜା ରୋଗରେ ପଡ଼ି ବଡ଼ କଷ୍ଟ ପାଆନ୍ତି, ବାଟଘାଟରେ ପଡ଼ି ମରନ୍ତି । କାହାକୁ ହଇଜା ହେଲେ ଅନେକ ସମୟରେ ସାଙ୍ଗଲୋକେ ତାକୁ ଛାଡ଼ି ପଳାଇ ଯାଆନ୍ତି; ସେ ବିଚାରା ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥାଏ । ପାଟିରେ ମୁନ୍ଦିଏ ପାଣି ଦେବାକୁ କେହି ନ ଥାଏ-। ବାଟରେ ଶହ ଶହ ଯାତ୍ରୀ ଚାଲିଥାଆନ୍ତି । ଯେତେ ବିକଳ ହୋଇ ଡାକିଲେ ବି କେହି ହେଲେ ତା ପାଖକୁ ଯାଉ ନ ଥାନ୍ତି ।

 

ପ୍ୟାରୀମୋହନ ଏ କଥା ଶୁଣିଲେ । ସେ ଆଉ କଟକରେ ଥୟ ଧରି ରହିପାରିଲେ ନାହିଁ । କେତକ ଔଷଧ, ସାବୁ, ବାର୍ଲି ସାଙ୍ଗରେ ଧରି ଚାଲିଲେ । ରାସ୍ତାକଡ଼ରେ ଯେଉଁଠି ରୋଗୀ ପଡ଼ିଥିବାର ଦେଖିଲେ, ତାର ସେବା ଶୁଶ୍ରୁଷା କଲେ, ଔଷଧ ଦେଲେ, ସାବୁ, ବାର୍ଲି ତିଆରି କରି ଖୁଆଇଲେ ।

 

ଯେଉଁ ରୋଗୀକୁ ବାପଭାଇ, ସାଙ୍ଗସାଥୀ ଛାଡ଼ି ଚାଲି ଯାଇଥିଲେ, ସେ ରୋଗୀକୁ ଅଜଣା ଅଶୁଣା ପ୍ୟାରୀମୋହନ ସେବା କଲେ, ତାକୁ ରୋଗରୁ ଉଠାଇଲେ, ଅସହାୟ ଲୋକର ସହାୟ ହେଲେ ।

 

ବହୁ ଦୂର ଦେଶରୁ ଆସିଥିବା ରୋଗୀମାନେ ଏ ବିଦେଶ ଭୂଇଁରେ ନିଜ ଜୀବନର ଆଶା ଛାଡ଼ି ପଡ଼ି ରହିଥିଲେ । ପ୍ରାଣ ବିକଳରେ ଛଟପଟ ହେଉଥିଲେ । ପ୍ୟାରୀମୋହନ ନିଜ ଜୀବନକୁ ପାଣି ଛଡ଼ାଇ ତାଙ୍କୁ ନୂଆ ଜୀବନ ଦେଲେ । ଆମ ଭିତରୁ କେତେ ଜଣ ଏପରି କରିପାରିବା ?

Image

 

–ଶେଷ କାଳ–

 

ପ୍ୟାରୀମୋହନ କମିଶନର ଅଫିସ କାମ ଛାଡ଼ି ଦେଇଥିଲେ; କିନ୍ତୁ ସ୍କୁଲରେ ଟଙ୍କା ନିଅଣ୍ଟ ପଡ଼ିଲା । ତେଣୁ ସେ ଡମପଡା ରାଜ୍ୟରେ ମାସକୁ ପଚାଶ ଟଙ୍କା ଦରମାରେ ଚାକିରୀ କଲେ-। ମାସକୁ ମାସ ସେ ପଚାଶ ଟଙ୍କା ଆଣି ସ୍କୁଲ ପାଣ୍ଠିକୁ ଦେଇ ଦିଅନ୍ତି । ସେହି ସମୟରେ ସେ ଡମପଡ଼ା ରାଜାଙ୍କର ଗୋଟିଏ ମକଦ୍ଦମା ତଦାରଖ କରୁଥିଲେ । ତାଙ୍କ ଉଦ୍ୟମରେ ସେ ମକଦ୍ଦମାରେ ଡମପଡା ରାଜା ଜିତିଲେ । ସେ ପ୍ୟାରିମୋହନଙ୍କ ଉପରେ ଖୁସି ହୋଇ ଦୁଇ ହଜାର ଟଙ୍କା ପୁରସ୍କାର ଦେଲେ । ସେ ଟଙ୍କା ମଧ୍ୟ ପ୍ୟାରୀମୋହନ ଆଣି ଦେଇଦେଲେ ।

 

ସେହି ସମୟରେ ସେ ଡମପଡାର ଜଣେ ହାକିମ ନିଯୁକ୍ତି ହେଲେ । ମାତ୍ର ସେଠା ପାଣି ତାଙ୍କ ଦେହରେ ଗଲା ନାହିଁ । ପ୍ୟାରୀ ମୋହନଙ୍କୁ ଜର ହେଲା । ବାଧ୍ୟ ହୋଇ ସେ କଟକ ଫେରି ଆସିଲେ ।

 

ଜର କ୍ରମେ ବଢ଼ିବାକୁ ଲାଗିଲା । ତାଙ୍କ ପ୍ରିୟବନ୍ଧୁ ମଧୁସୂଦନ ରାଓ ସେତେବେଳେ ପୁରୀ ଜିଲା ସ୍କୁଲରେ ଚାକିରି କରିଥାଆନ୍ତି । ଖବର ପାଇ ସେ ଆସି କଟକରେ ପହଞ୍ଚିଲେ ।

 

ପ୍ୟାରୀମୋହନଙ୍କ ଦେହ ଖରାପ ହୋଇଛି ଶୁଣି ସହରର ବହୁଲୋକ ତାଙ୍କ ଘରପାଖରେ ରୁଣ୍ଡ ହେଲେ । ମାତ୍ର ବେଶି ଲୋକ ଜମା ହେବାକୁ ପ୍ୟାରୀମୋହନ ପସନ୍ଦ କରୁ ନ ଥିଲେ । କେବଳ ମଧୁସୂଦନ ରାତିଦିନ ତାଙ୍କ ପାଖରେ ବସିଥାଆନ୍ତି । ତାଙ୍କ କୋଳରେ ମୁଣ୍ଡ ରଖି ପ୍ୟାରୀମୋହନ ଆରାମ ପାଉଥାଆନ୍ତି ।

 

ସେହି ଆରାମ ହିଁ ପ୍ୟାରୀମୋହନଙ୍କର ସବୁ ଦିନର ଆରାମରେ ପରିଣତ ହେଲା । ପ୍ୟାରୀମୋହନକେବଳ ଅଣତିରିଶ ବର୍ଷ ବୟସରେ ଓଡ଼ିଶାର ଲୋକଙ୍କୁ କନ୍ଦାଇ କନ୍ଦାଇ ଆଖି ବୁଜିଲେ । ଅଳ୍ପ ଦିନ ମାତ୍ର ସେ ଏ ଜଗତରେ ରହିଥିଲେ I ଏହି ଅଳ୍ପ ଦିନ ଭିତରେ ସେ ଯେଉଁ କୀର୍ତ୍ତି ରଖିଦେଇ ଯାଇଛନ୍ତି, ତାହା ଯୁଗଯୁଗ ଧରି ରହିଥିବ ।

Image